ପ୍ରଥମ ଶାମୁୟେଲ 21 : 1 (ORV)
ଅନନ୍ତର ଦାଉଦ ନୋବରେ ଅହୀମେଲକ୍ ଯାଜକ ନିକଟକୁ ଆସିଲେ; ତହିଁରେ ଅହୀମେଲକ୍ କମ୍ପମାନ ହୋଇ ଦାଉଦଙ୍କୁ ସାକ୍ଷାତ୍ କରିବାକୁ ଆସି ତାଙ୍କୁ କହିଲା, ତୁମ୍ଭ ସଙ୍ଗରେ କୌଣସି ଲୋକ ନାହିଁ, ତୁମ୍ଭେ ଏକା କାହିଁକି?
ପ୍ରଥମ ଶାମୁୟେଲ 21 : 2 (ORV)
ଏଥିରେ ଦାଉଦ ଅହୀମେଲକ୍ ଯାଜକକୁ କହିଲେ, ରାଜା ମୋତେ ଗୋଟିଏ କାର୍ଯ୍ୟ କରିବାକୁ ଆଜ୍ଞା କରିଅଛନ୍ତି ଓ ମୋତେ କହିଅଛନ୍ତି, ଯେଉଁ କାର୍ଯ୍ୟ ନିମନ୍ତେ ମୁଁ ତୁମ୍ଭକୁ ପଠାଏ ଓ ମୁଁ ତୁମ୍ଭକୁ ଯାହା ଆଜ୍ଞା କରିଅଛି, ସେହି ବିଷୟ କେହି କିଛି ନ ଜାଣୁ; ଆଉ ମୁଁ ଯୁବାମାନଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ନିଯୁକ୍ତ କରିଅଛି ।
ପ୍ରଥମ ଶାମୁୟେଲ 21 : 3 (ORV)
ଏବେ ତୁମ୍ଭ ହସ୍ତରେ କଅଣ ଅଛି? ପାଞ୍ଚଟି ରୋଟୀ, ଅବା ଯାହା କିଛି ଅଛି, ତାହା ମୋʼ ହସ୍ତରେ ଦିଅ ।
ପ୍ରଥମ ଶାମୁୟେଲ 21 : 4 (ORV)
ଏଥିରେ ଯାଜକ ଦାଉଦଙ୍କୁ ଉତ୍ତର କରି କହିଲା, ମୋʼ ହସ୍ତରେ ସାଧାରଣ ରୋଟୀ ନାହିଁ; ଯେବେ ଯୁବାମାନେ ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ରଖିଥିବେ, ତେବେ କେବଳ ପବିତ୍ର ରୋଟୀ ଅଛି ।
ପ୍ରଥମ ଶାମୁୟେଲ 21 : 5 (ORV)
ତହୁଁ ଦାଉଦ ଯାଜକକୁ ଉତ୍ତର ଦେଇ କହିଲେ, ପ୍ରକୃତରେ ଊଣାଧିକ ଏହି ତିନି ଦିନ ହେଲା, ସ୍ତ୍ରୀମାନେ ଆମ୍ଭମାନଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଏ କେବଳ ସାମାନ୍ୟ ଯାତ୍ରା ହେଲେ ହେଁ, ମୁଁ ବାହାରିବା ବେଳେ ଯୁବାମାନଙ୍କ ପାତ୍ର ପବିତ୍ର ଥିଲା; ତେବେ ଆଜି ସେମାନଙ୍କ ପାତ୍ର କେତେ ଅଧିକ ପବିତ୍ର ନ ଥିବ?
ପ୍ରଥମ ଶାମୁୟେଲ 21 : 6 (ORV)
ତହିଁରେ ଯାଜକ ତାଙ୍କୁ ପବିତ୍ର ରୋଟୀ ଦେଲା; କାରଣ ସେ ସ୍ଥାନରେ ଆଉ ରୋଟୀ ନ ଥିଲା, କେବଳ ଦର୍ଶନୀୟ ରୋଟୀ ଥିଲା, ତାହା ଉଠାଇ ନେବା ଦିନ ତପ୍ତ ରୋଟୀ ରଖିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରୁ ତାହା ସ୍ଥାନାନ୍ତରିତ କରାଯାଇଥିଲା ।
ପ୍ରଥମ ଶାମୁୟେଲ 21 : 7 (ORV)
ସେହିଦିନ ଶାଉଲଙ୍କର ଦାସମାନଙ୍କ ମଧ୍ୟରୁ ଜଣେ ସଦାପ୍ରଭୁଙ୍କ ସମ୍ମୁଖରେ ଅଟକା ଯାଇଥିଲା; ତାହାର ନାମ ଇଦୋମୀୟ ଦୋୟେଗ, ସେ ଶାଉଲଙ୍କର ପଶୁପାଳକ-ମାନଙ୍କ ମଧ୍ୟରେ ପ୍ରଧାନ ଥିଲା ।
ପ୍ରଥମ ଶାମୁୟେଲ 21 : 8 (ORV)
ପୁଣି ଦାଉଦ ଅହୀମେଲକ୍କୁ କହିଲେ, ଏଠାରେ ତୁମ୍ଭ ହସ୍ତରେ ବର୍ଚ୍ଛା କି ଖଡ଼୍ଗ ନାହିଁ? କାରଣ ମୁଁ ଆପଣା ଖଡ଼୍ଗ କି ଅସ୍ତ୍ରଶସ୍ତ୍ର ସଙ୍ଗରେ ଆଣି ନାହିଁ, ଯେଣୁ ରାଜାଙ୍କ କାର୍ଯ୍ୟ ଶୀଘ୍ର କରିବାକୁ ପଡ଼ିଲା ।
ପ୍ରଥମ ଶାମୁୟେଲ 21 : 9 (ORV)
ତହିଁରେ ଯାଜକ କହିଲା, ତୁମ୍ଭେ ଏଲା ତଳଭୂମିରେ ଯାହାକୁ ବଧ କରିଥିଲ, ଦେଖ; ସେହି ପଲେଷ୍ଟୀୟ ଗଲୀୟାତର ଖଡ଼୍ଗ ଏଫୋଦ ପଛେ ବସ୍ତ୍ରରେ ଗୁଡ଼ାହୋଇଅଛି, ଯେବେ ତାହା ନେବ, ନିଅ; ତାହା ଛଡ଼ା ଆଉ ଏଠାରେ କିଛି ନାହିଁ । ତହୁଁ ଦାଉଦ କହିଲେ ତାହା ପରି ଆଉ କିଛି ନାହିଁ; ତାହା ମୋତେ ଦିଅ ।
ପ୍ରଥମ ଶାମୁୟେଲ 21 : 10 (ORV)
ଏଉତ୍ତାରେ ଦାଉଦ ଉଠି ଶାଉଲଙ୍କର ସମ୍ମୁଖରୁ ସେହିଦିନ ପଳାଇ ଗାଥ୍ର ରାଜା ଆଖୀଶ୍ ନିକଟକୁ ଗଲେ ।
ପ୍ରଥମ ଶାମୁୟେଲ 21 : 11 (ORV)
ତହିଁରେ ଆଖୀଶ୍ର ଦାସମାନେ ତାକୁ କହିଲେ, ଏହି ଦାଉଦ କି ଦେଶର ରାଜା ନୁହନ୍ତି? ପୁଣି ଲୋକମାନେ ତାଙ୍କ ବିଷୟରେ ନୃତ୍ୟ କରି କି ପରସ୍ପର କହି ନ ଥିଲେ, ଶାଉଲ ବଧ କଲେ ସହସ୍ର ସହସ୍ର, ଦାଉଦ ବଧ କଲେ ଅୟୁତ ଅୟୁତ?
ପ୍ରଥମ ଶାମୁୟେଲ 21 : 12 (ORV)
ମାତ୍ର ଦାଉଦ ଏ କଥା ମନେ ରଖିଲେ, ପୁଣି ଗାଥ୍ର ରାଜା ଆଖୀଶ୍କୁ ବଡ଼ ଭୟ କଲେ ।
ପ୍ରଥମ ଶାମୁୟେଲ 21 : 13 (ORV)
ଏଣୁ ସେ ସେମାନଙ୍କ ସାକ୍ଷାତରେ ଆପଣା ମତି ବଦଳାଇଲେ ଓ ସେମାନଙ୍କ ନିକଟରେ ଆପଣାକୁ ବାତୁଳ ପରି ଦେଖାଇ ଦ୍ଵାର କବାଟ ଆଞ୍ଚୁଡ଼ିଲେ ଓ ଆପଣା ଦାଢ଼ିରେ ଲାଳ ବୋହିବାକୁ ଦେଲେ ।
ପ୍ରଥମ ଶାମୁୟେଲ 21 : 14 (ORV)
ତହିଁରେ ଆଖୀଶ୍ ଆପଣା ଦାସମାନଙ୍କୁ କହିଲା, ଦେଖ, ଏ ବାତୁଳ, ଏହା ତୁମ୍ଭେମାନେ ଦେଖୁଅଛ; ତୁମ୍ଭେମାନେ କାହିଁକି ଏହାକୁ ମୋର ପାଖକୁ ଆଣିଲ?
ପ୍ରଥମ ଶାମୁୟେଲ 21 : 15 (ORV)
ମୋହର କʼଣ ବାତୁଳ ଲୋକର ଅଭାବ ଅଛି ଯେ, ତୁମ୍ଭେମାନେ ଏହାକୁ ମୋର ଆଗରେ ବାତୁଳ ବ୍ୟବହାର କରିବାକୁ ଆଣିଅଛ? ଏ ଲୋକ କʼଣ ମୋହର ଘରକୁ ଆସିବ?
❮
❯